ଛବି କଥା କହେ - ପ୍ରସେନଜିତ୍ ସେଠୀ




ଅନେକ ବସନ୍ତ ଯାଇଛନ୍ତି ବିତି

ଚମର ଚମକ ଯାଇଅଛି ଚାଲି

ଆଖିର ଆଲୋକ ଓ ମୁଖର କାନ୍ତି

ମଳିନ ପଡ଼ିଛି, ଯାହା ଥିଲା କାଲି!!


ବୟସର ଅପରାହ୍ନ ଆବୋରିଛି

ବିଶ୍ରାମ ସମୟ ଆସି ଯାଇଅଛି

ହେଲେ କିଛି ଗୋଟେ ବାଧ୍ୟ ବାଧକତା

ତାକୁ ଖଟିବାକୁ ବିବସ କରିଛି।


ହୋଇଥାଇପାରେ ଦାରିଦ୍ର୍ୟ କଷଣ

କିମ୍ବା ପୁଅ ବୋହୂଙ୍କର ଅନାଦର

ଅବା ତାର କୁଳ ବୃତ୍ତିକୁ ଆଦର

ସାର୍ଥକ କରିଛି ସେ ନାଁ କଳାକାର।


ସତର୍କେ ନିହାଣ ମୁନ ଚଲାଇଣ

ନିର୍ଜୀବ ପ୍ରସ୍ତରେ ଦେଉଅଛି ପ୍ରାଣ

ଯାହା ଥିଲା ଦିନେ ପ୍ରାୟ ମୂଲ୍ୟହୀନ

ସେଥିରେ କରିଛି ଆସ୍ଥାର ସ୍ଥାପନ।


ନୁହେଁ ସିଏ ନାମ ମାତ୍ର କଳାକାର

ଦେଉଅଛି ଶିକ୍ଷା ଦୃଢ଼ ସଂଗ୍ରାମର

ବୟସ ସିନା ତା ବିତି ଯାଇଅଛି

ହେଲେ ଥମିନାହିଁ କୁହୁକ କଳାର।


ପ୍ରେରଣା ଦିଏ ସେ ଘୋର ସାଧନାର

ବୟସ ବି ତାର ପାଶେ ମାନିଛି ହାର

ଶରୀରଟି ସିନା ମରିଯିବ ଦିନେ

ହେଲେ କଳା ପାଇଁ ସେ ପରା ଅମର!!


 ପ୍ରସେନଜିତ୍ ସେଠୀ

 ବାଲିଆ, ଗୋପୀନାଥପୁର, ଜଗତସିଂହପୁର



Post a Comment

0 Comments